ସ୍କଚ୍ ଆଓ୍ୱାର୍ଡ ପାଇବା ପରେ ଓମ୍ଫେଡ୍ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ
ଭୁବନେଶ୍ୱର: ତା 17।02।2025ରିଖ: ଓମ୍ଫେଡ୍କୁ ଜାତୀୟ ସ୍ତରରେ ସ୍କଚ୍ ଆଓ୍ୱାର୍ଡ-2024 ମିଳିବା ପରେ କର୍ମଚାରୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । 15 ତାରିଖ ଦିନ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ସମାରୋହରେ ଓମ୍ଫେଡ୍କୁ ଏହି ଜାତୀୟସ୍ତରର ପୁରସ୍କାର ମିଳିଥିଲା । ଓମ୍ଫେଡ୍ ର ଅଧ୍ୟକ୍ଷ କିଶୋର ଚନ୍ଦ୍ର ପ୍ରଧାନୀ ଏବଂ ସମ୍ବଲପୁର ପ୍ଲାଣ୍ଟର ପରିଚାଳକ ଡାକ୍ତର ସରୋଜ ସାହୁ ଏହି ପୁରଷ୍କାର ଗ୍ରହଣ କରିଥିଲେ । ଏହି ଅବସରରେ ଓମ୍ଫେଡ୍ ର ଭୁବନେଶ୍ୱରସ୍ଥିତ ମୁଖ୍ୟାଳୟ କର୍ମଚାରୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା । ଏହି ଅବସରରେ ଓମ୍ଫେଡ୍ ର ଅଧ୍ୟକ୍ଷ ଶ୍ରୀ କିଶୋରଚନ୍ଦ୍ର ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ (ଆଇଏଏସ)ଙ୍କ ସମେତ ଓମ୍ଫେଡ୍ ର ବୈଷୟିକ ପରାମର୍ଶଦାତା ତଥା କଟକ ଶାଖାର ମହା ପ୍ରବନ୍ଧକ ଡକ୍ଟର ଦିଗମ୍ବର ନାୟକ, ମହାପ୍ରବନ୍ଧକ (ପ୍ରକଳ୍ପ) ସୌମେନ୍ଦ୍ର ଭୌମିକ, ମହାପ୍ରବନ୍ଧକ (ବିତ୍ତ) ଶ୍ରୀ ସୁରେଶ ଚନ୍ଦ୍ର ଅଲଟିଆ, ଉପମହାପ୍ରବନ୍ଧକ (ମାନବ ସମ୍ବଳ)ଡକ୍ଟର ଜୟକୃଷ୍ଣ ପଟ୍ଟନାୟକ, ଉପମହାପ୍ରବନ୍ଧକ (ମ୍ୟାଟେରିଆଲ ମ୍ୟାନେଜମେଣ୍ଟ) ଡକ୍ଟର ବିଶ୍ୱରଂଜନ ତ୍ରିପାଠୀ, ବିପଣନ ମୁଖ୍ୟ ଶ୍ରୀ ଆଲୋକ ଅଗ୍ନିବେଶ, ସହକାରୀ ପ୍ରବନ୍ଧକ (ପିଆର) ଶ୍ରୀମତୀ ମନସ୍ୱିନୀ ପଟ୍ଟନାୟକ, ସହକାରୀ ପ୍ରବନ୍ଧକ (ଆଇଟି) ଶ୍ରୀ ଜିତେନ୍ଦ୍ର କୁମାର ବରାଡଙ୍କ ସମେତ ସମସ୍ତ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।
ବିଞ୍ଝାରପୁର ଗାଈ ପ୍ରଜନନ ବୃଦ୍ଧି ପାଇଁ ଜୀବାଣୁ ପ୍ଲାଜମାର ସଂରକ୍ଷଣ କରାଯାଉଛି । ସଂପ୍ରତ୍ତି ଏହି ବିଞ୍ଝାରପୁର ଗାଈ ସଂଖ୍ୟା ବୃଦ୍ଧି ପାଇଁ ଓମ୍ ଫେଡ୍ ପକ୍ଷରୁ ଚାଷୀମାନଙ୍କୁ ପ୍ରୋତ୍ସାହିତ କରାଯାଉଛି । ସେଥିପାଇଁ ତାଙ୍କୁ ଏହି ପୁରସ୍କାର ମିଳିଛି । କେବଳ ବିଞ୍ଝାରପୁର ଗାଈ ନୁହଁନ୍ତି, ପ୍ରତ୍ୟେକ କ୍ଷେତ୍ରରେ ଦୂରଦୃଷ୍ଟି ରଖି ଯୋଜନାବଦ୍ଧ ଭାବେ କାମ କଲେ ସେଥିରେ ନିଶ୍ଚୟ ସଫଳତା ମିଳିବ । ଆଗକୁ ଆମକୁ ଅନେକ କାମ କରିବାର ଅଛି । ଆମେ କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନ ରଖି ସାମୁହିକ ଭାବେ ଓମ୍ଫେଡ୍ ର ଉନ୍ନତି ପାଇଁ କାମ କରିବା । କାରଣ ଓମ୍ଫେଡ୍ ହେଉଛି ଦୁଗ୍ଧ ଚାଷୀମାନଙ୍କର ଏକ ସମବାୟ ସଂସ୍ଥା । ଓଡିଆ ଅସ୍ମିତାର ନିଛକ ପ୍ରତିଛବି । ଏହାର ସୁରକ୍ଷା ତଥା ଉନ୍ନତି ହେଉଛି ଆମର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ । ଅପରପକ୍ଷେ ଓମ୍ଫେଡ୍ ଉତ୍ପାଦର ଗୁଣବତ୍ତା ଉପରେ କୌଣସି ପରିସ୍ଥିତିରେ ମଧ୍ୟ ସାଲିସ କରାଯିବ ନାହିଁ ବୋଲି କହିଛନ୍ତି ଓମ୍ଫେଡ୍ ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ (ଆଇଏଏସ୍)।
ସୂଚନାଯୋଗ୍ୟ କି ବିଞ୍ଝାରପୁର ପ୍ରଜାତି ଗାଈ ବଂଶ ବୃଦ୍ଧି ପାଇଁ ଓମ୍ଫେଡ୍, ଓୟୁଏଟି ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପଦକ୍ଷେପ ଓ ପ୍ରୋତ୍ସାହନ ଦିଆଯାଉଛି । ସଂପ୍ରତି ପ୍ରାୟ 2 ହଜାରରୁ ଅଧିକ ବିଞ୍ଝାରପୁର ଗାଈ ଅଛନ୍ତି । ଦୈନିକ 12ରୁ 15 ଶହ ଲିଟର ଦୁଗ୍ଧ କେବଳ ଓମ୍ଫେଡ୍ ସଂଗ୍ରହ କରୁଛି ଏବଂ ତାକୁ ପ୍ରକ୍ରିୟାକରଣ କରି ବଜାରକୁ ଛାଡୁଛି । ଏହି ଦେଶୀ ଗାଈ କ୍ଷୀର ଚାହିଦା ବଜାରରେ ବହୁତ ରହିଛି । ଏବେ ଏଥିରୁ ଘିଅ ଉତ୍ପାଦନ କରିବା ପାଇଁ ଓମ୍ଫେଡ୍ ଯୋଜନା କରୁଛି । ଭାରତ ବିକାଶ ଦିଗରେ ଉଲ୍ଲେଖନୀୟ ଅବଦାନ ଯଥା ସୁପରିଚାଳନା, ଆର୍ଥିକ ବିକାଶ, ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ, ସାମାଜିକ ଦାୟିତ୍ୱ ଏବଂ ସାମଗ୍ରୀକ ବିକାଶ ପାଇଁ ବ୍ୟକ୍ତି ବିଶେଷ, ଅନୁଷ୍ଠାନ, ପ୍ରକଳ୍ପ, ପ୍ରତିଷ୍ଠାନ ଆଦିଙ୍କୁ ଜାତୀୟ ସ୍ତରରେ ଏହି ସ୍କଚ୍ ଆଓ୍ୱାର୍ଡ ପ୍ରଦାନ କରାଯାଇଥାଏ ।