ରାଜ୍ୟସ୍ତରୀୟ ଜାତୀୟ ଦୁଗ୍ଧ ଦିବସ ପାଳିତ
- ଦୁଗ୍ଧ ଦିବସ ଅବସରରେ ଗୋପାଳକଙ୍କୁ ଦିଆଗଲା 10 କୋଟି ଟଙ୍କାର ସବସିଡ୍
- 7ଟି ନୂତନ ଉତ୍ପାଦର ଶୁଭାରମ୍ଭ ଓ ବଜାର ପ୍ରବେଶ
- ବଜାର ପ୍ରବେଶ କଲା ଓମ୍ଫେଡ୍ ନୀରବା ପାଣି ବୋତଲ
ଜାତୀୟ ଦୁଗ୍ଧ ଦିବସ ଅବସରରେ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ଦ୍ଵାରା ଜାତୀୟ ଦୁଗ୍ଧ ଦିବସ (National Milk Day) କାର୍ଯକ୍ରମ ଉଦଘାଟିତ ହୋଇଯାଇଛି। ଆମ ଦେଶରେ ଶ୍ୱେତ ବିପ୍ଲବ (White Revolution) ର ଜନକ ଡକ୍ଟର ଭର୍ଗିସ୍ କୁରିଏନଙ୍କ ଜନ୍ମଦିନକୁ ଜାତୀୟ ଦୁଗ୍ଧ ଦିବସ ଭାବରେ ପାଳନ କରାଯାଉଛି। ଏହି ଅବସରରେ ମନ୍ତ୍ରୀ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥର ବ୍ୟବହାର ବୃଦ୍ଧି ଏବଂ ରାଜ୍ୟରେ କିପରି ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇବ ଓ ଗୋପାଳକଙ୍କ ଉନ୍ନତି ହେବ, ସେ ଲକ୍ଷ୍ୟ ନେଇ ଏ ଦିବସ ପାଳନ କରାଯାଉଛି ବୋଲି କହିଥିଲେ।
ମନ୍ତ୍ରୀ କହିଥିଲେ, ଦୁଗ୍ଧ ଉତ୍ପାଦନ ହେଉଛି ଏପରି ଏକ କ୍ଷେତ୍ର ଯେଉଁଥିରେ ରାଜ୍ୟର ଗ୍ରାମୀଣ ବିକାଶ ପାଇଁ ସାମର୍ଥ୍ୟ ରହିଛି। ଆମ ରାଜ୍ୟରେ ଏବେ ଦୈନିକ ପ୍ରାୟ ୭୨ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦିତ ହେଉଛି। ମୁଣ୍ଡପିଛା ଦୈନିକ ୩୦୦ ଗ୍ରାମ ଦୁଗ୍ଧ ଆବଶ୍ୟକ ଥିବା ସ୍ଥଳେ ଆମ ରାଜ୍ୟରେ ପ୍ରାୟ ୧୬୦ ଗ୍ରାମ ଦୁଗ୍ଧ ଉତ୍ପାଦିତ ହେଉଛି। ଏ କ୍ଷେତ୍ରରେ ଆମକୁ ଆହୁରି ଆଗକୁ ଯିବାର ଅଛି। ଦୁଗ୍ଧ ଉତ୍ପାଦନରେ ଆମେ ଟିକିଏ ପଛରେ ପଡ଼ିଯାଇଛୁ କାରଣ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆଗରୁ ସେମିତି କିଛି ବଳିଷ୍ଠ ପଦକ୍ଷେପ ନିଆଯାଉ ନଥିଲା। ଏବେ ସେ ଯୁଗ ଶେଷ ହୋଇଛି।
ଆମ ସରକାର ଗୋପାଳନକୁ ପ୍ରାଧାନ୍ୟ ଦେଇ ନୂତନ ଭାବେ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା। ଏହା ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷରେ ରାଜ୍ୟରେ ଦୁଗ୍ଧ ଉତ୍ପାଦନକୁ ଦୁଇ ଗୁଣ କରିବାର ଲକ୍ଷ୍ୟ ରଖାଯାଇଛି। ଗାଈ, ମଇଁଷି ପାଳନ ପାଇଁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ୭୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଗୋପାଳକମାନଙ୍କୁ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଅଦ୍ୟାବଧି ୪ ଲକ୍ଷ ୫୦ ହଜାର ହିତାଧିକାରୀ ପ୍ରାୟ ୨୦୦ କୋଟି ଟଙ୍କାର ଅନୁଦାନ ରାଶି ପାଇ ଉପକୃତ ହୋଇସାରିଲେଣି। ଏପର୍ଯନ୍ତ ଏହି ଯୋଜନା ଅଧିନରେ ୮ ହଜାରରୁ ଉର୍ଦ୍ଧ୍ୱ ଗାଈ ମଇଁଷି ରାଜ୍ୟର ଗୋପାଳକମାନେ ବାହାର ରାଜ୍ୟରୁ କିଣ ସାରିଲେଣ। ରାଜ୍ୟର ଗୋପାଳକମାନେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଏବେ ସଶକ୍ତ ହୋଇପାରୁଛନ୍ତି। ଏହା ଅତ୍ୟନ୍ତ ଖୁସିର ବିଷୟ।
ମନ୍ତ୍ରୀ ପୁଣି କହିଥିଲେ, ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ଗାଈ ଫାର୍ମ ଓ ଦୁଗ୍ଧ ପ୍ରକ୍ରିୟାକରଣ ୟୁନିଟ (Milk Processing Plant) ପ୍ରତିଷ୍ଠା କରିବା ପାଇଁ ଏକ କୋଟି ଟଙ୍କା ପର୍ଯନ୍ତ ଆର୍ଥିକ ସହାୟତା ଦିଆଯାଉଛି । ଗୋରୁ ଗାଈଙ୍କ ରୋଗ ନିୟନ୍ତ୍ରଣ, ଦୁଗ୍ଧ ଉତପାଦନ ଉପରେ ବହୁ ପ୍ରଭାବ ପକାଇଥାଏ । ତେଣୁ ସେ କ୍ଷେତ୍ରରେ ଆମ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଗୋପାଳକଙ୍କ ଦୁଆରେ ପ୍ରାଣିଚିକିତ୍ସା ସେବା ପହଞ୍ଚାଇଦେବା ପାଇଁ ରାଜ୍ୟରେ ୩୧୪ ଭ୍ରାମ୍ୟମାଣ ପ୍ରାଣିଚିକିତ୍ସା ୟୁନିଟ କାର୍ଯ୍ୟ କରୁଛି। ଗୋପାଳକମାନଙ୍କୁ ଘାସ ଚାଷ, ଟିକାକରଣ ଓ କୃମିନାଶନ ଆଦି ପାଇଁ ସହାୟତା ଯୋଗାଇ ଦିଆଯାଉଛି।
ଶ୍ରୀ ମଲ୍ଲିକ କହିଥିଲେ ଯେ, ଲୋକଙ୍କ ପାଖରେ ଉତ୍ତମ ମାନର ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ପହଞ୍ଚାଇବା ପାଇଁ OMFED ଦ୍ଵାରା A2 କ୍ଷୀର ଓ ଗୁଣ୍ଡ ଦୁଗ୍ଧ ପ୍ରସ୍ତୁତ କରି ବଜାରକୁ ଛଡାଯାଇଛି। ଅଧିକ ଦିନ ପର୍ଯନ୍ତ ରହିପାରୁଥିବା Ultra High Temperature milk OMFED ଦ୍ଵାରା ପ୍ରସ୍ତୁତ କରାଯାଉଛି। ଆଜି OMFED ର ୭ ଗୋଟି ନୂଆ ଉତ୍ପାଦର ବଜାର ପ୍ରବେଶ କରାଯାଇଛି। ଏହା ଅତି ଆନନ୍ଦର ବିଷୟ। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ NDDB ସହ ବୁଝାମଣା କରାଯାଇ ଆମ ରାଜ୍ୟର ଗୋପାଳକଙ୍କୁ ବାହାର ରାଜ୍ୟରୁ ଉଚ୍ଚ ଗୁଣସମ୍ପନ୍ନ ଦୁଧିଆଳୀ ଗାଈ ଯୋଗାଇ ଦିଆଯାଉଛି। ଏହାର ଆଜି ଶୁଭାରମ୍ଭ ହେବ। ଆମ ସରକାର ରାଜ୍ୟର ଲୋକଙ୍କ ହିତ ପାଇଁ ସବୁମତେ ଉଦ୍ୟମ କରୁଛି।
ଜାତୀୟ ଦୁଗ୍ଧ ଦିବସ ଅବସରରେ ଓମ୍ଫେଡ୍ ତାର ବିଭିନ୍ନ ଉତ୍ପାଦର ଶୁଭାରମ୍ଭ କରିଛି । ଆଜିଠାରୁ ଓମ୍ଫେଡ୍ ଓଡିଶା ବଜାରକୁ ପିଇବା ପାଣି ବଟଲ ଛାଡୁଛି। ଏହା ବ୍ୟତୀତ tetra pack ଲସି, ଚକୋଲେଟ୍ ମିଲ୍କ ସେକ୍ ଏବଂ ପ୍ରୋଟିନ yoghurt ଇତ୍ୟାଦିର ଆଜି ବଜାର ପ୍ରବେଶ କରାଯାଇଛି।
ଓମ୍ଫେଡ୍ ଏବେ ଚାଷୀଙ୍କ ପରିବାରକୁ ସୁରକ୍ଷା ଦେବା ପାଇଁ ଚାଷୀମାନଙ୍କର ଜୀବନ ବୀମା କରିଛି । ଘରର ମୁଖିଆ ବା ଦୁଗ୍ଧଉତ୍ପାଦକଙ୍କର ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ, ତାଙ୍କ ପରିବାର ଯେପରି ନିଜକୁ ଅସହାୟ ନମଣିବେ, ସେଥିପାଇଁ ଓମ୍ଫେଡ୍ ପ୍ରତ୍ୟେକ ଦୁଗ୍ଧ ଉତ୍ପାଦକଙ୍କ ପାଇଁ ଏକ ଲକ୍ଷ ଟଙ୍କାର ଜୀବନ ବୀମା ପଲିସ୍ କରିଛି ।
ଓମଫେଡ୍ ଦିନକୁ ଦିନ ତାର କାୟା ବିସ୍ତାର କରି ଚାଲିଛି । ଏବେ ନୂଆ ନୂଆ ଉତ୍ପାଦ ପ୍ରସ୍ତୁତ କରିବା ସହ ଦୁଗ୍ଧ ସଂଗ୍ରହକୁ ବୃଦ୍ଧି କରିବା ପାଇଁ ଓମଫେଡ୍ ଉଦ୍ୟମ ଜାରି ରଖିଛି । ଓମଫେଡର ଉତ୍ପାଦ ସହରାଂଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ତାର ମାର୍କେଟ ବିସ୍ତାର ପ୍ରକ୍ରିୟା ଆରମ୍ଭ କରିଛି । ରାଜ୍ୟ ବାହାରକୁ ମଧ୍ୟ ଓମଫେଡ୍ ତାର କାୟା ବିସ୍ତାର କରୁଛି । ଫଳରେ ତାର କାରବାର ବହୁ ପରିମାଣରେ ବୃଦ୍ଧି ହୋଇଛି । 2023-24 ଆର୍ଥିକ ବର୍ଷରେ ଓମଫେଡ୍ 855 କୋଟି ଟଙ୍କାର କାରବାର କରିଥିବା ବେଳେ 2024-25 ଆର୍ଥିକ ବର୍ଷରେ 1028 କୋଟି ଟଙ୍କାର କାରବାର ବୃଦ୍ଧି କରିଛି ।
ଆଜି କାର୍ଯକ୍ରମରେ ୨୫ ଜଣ ଗୋପାଳକଙ୍କୁ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ସହାୟତା ରାଶି ପ୍ରଦାନ କରାଯାଇଥିଲା ଏବଂ ୩ ଜଣ ଉଦ୍ୟୋଗୀଙ୍କୁ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ରିହାତି ରାଶି ପ୍ରଦାନ କରାଯାଇଥିଲା। ପ୍ରାଣିକଲ୍ୟାଣ ପାଇଁ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରାଜ୍ୟର ୮୩ ଗୋଟି ପଞ୍ଜିକୃତ ଗୋଶାଳାକୁ ବୁଲା ଓ ଅସହାୟ ଗୋରୁଙ୍କ ରକ୍ଷଣାବେକ୍ଷଣ ପାଇଁ ୧୧ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା। ରାଜ୍ୟର ୨୪ ଗୋଟି ପୌରସଂସ୍ଥାକୁ ବୁଲା ପ୍ରାଣୀଙ୍କ ଉଦ୍ଧାର ପାଇଁ ଆବଶ୍ୟକୀୟ ଗାଡି କ୍ରୟ କରିବାକୁ ୬ କୋଟି ଟଙ୍କା ପ୍ରଦାନ କରାଯାଇଥିଲା।
ହିମିକୃତ ଶୁକ୍ର ଭଣ୍ଡାର, କଟକଠାରେ ମନ୍ତ୍ରୀ ଆଭାଷୀ ମାଧ୍ୟମରେ sex sorted semen ପ୍ରୟୋଗଶାଳାର ଶୁଭାରମ୍ଭ କରିଥିଲେ। ଏହା ମାଧ୍ୟମରେ ଓଡ଼ିଶାରେ ଏବେ sex sorted semen ଉତ୍ପାଦନ ହୋଇପାରିବ ଏବଂ ଓଡ଼ିଶା ଏ ବାବଦରେ ସାରା ଦେଶରେ ଚତୁର୍ଥ ରାଜ୍ୟ। ରାଜ୍ୟର ଗୋପାଳକଙ୍କୁ ଅଧିକ ଲାଭବାନ କରିବା ପାଇଁ ଲିଙ୍ଗ ନିରୂପିତ ଶୁକ୍ର (Sex Sorted Semen) ମାଧ୍ୟମରେ କୃତ୍ରିମ ପ୍ରଜନନ କାର୍ଯକ୍ରମ କରାଯାଉଛି। ଏହା ମାଧ୍ୟମରେ ୯୦ ପ୍ରତିଶତ ପର୍ଯନ୍ତ ମାଈ ବାଛୁରୀ ଜନ୍ମ ହୋଇ ଗୋପାଳକ ଲାଭବାନ ହେଉଛନ୍ତି।
ଏହି କାର୍ଯକ୍ରମରେ ଓମଫେଡ଼ ସଭାପତି ଶ୍ରୀ କିଶୋର ଚନ୍ଦ୍ର ପ୍ରଧାନୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ, ମତ୍ସ୍ୟ ନିର୍ଦ୍ଦେଶକ ମହମ୍ମଦ ସାଦିକ ଆଲମ, ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ପ୍ରାଣିପାଳନ ଓ ପ୍ରାଣିଚିକିତ୍ସା ନିର୍ଦ୍ଦେଶକ ଶ୍ରୀ ବିଜୟ ଅମୃତା କୁଲାଙ୍ଗେ ଏବଂ ପ୍ରାଣିଚିକିତ୍ସା ଓ ପ୍ରାଣିପାଳନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡାକ୍ତର ସୁଷେଣ କୁମାର ପଣ୍ଡା ମଞ୍ଚରେ ଉପସ୍ଥିତ ଥିଲେ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ଏକ ହଜାର ଗୋପାଳକ ଏଥିରେ ଯୋଗ ଦେଇଥିଲେ।